କୁମ୍ଭକାର ଓ ମାଟି
18
ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ଯାଅ। ସେଠାରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ୟ ଶୁଣାଇବା।”
ତେଣୁ ମୁଁ କୁମ୍ଭକାର ଗୃହକୁ ଗଲି ଓ ଦେଖିଲି କୁମ୍ଭକାର ଚକ୍ରରେ ମାଟିର କାମ କରୁଛି। ସେ ମାଟିର ପାତ୍ର ନିର୍ମାଣ କରୁଥିବା ବେଳେ ସେଥିରେ କିଛି ଦୋଷ ଦେଖିଲା। ତେଣୁ ସେ ପାତ୍ରର ମାଟିକୁ ପୁନର୍ବାର ନିଜ ଇଚ୍ଛାନୁସାରେ ସଜାଡ଼ି ନୂଆ ପାତ୍ର ନିର୍ମାଣ କଲା।
ତା’ପରେ ସଦାପ୍ରଭୁଙ୍କର ବାଣୀ ମୋ’ ନିକଟରେ ଉପସ୍ଥିତ ହେଲା। “ହେ ଇସ୍ରାଏଲର ଗୃହ, ତୁମ୍ଭେ ଜାଣ ଆମ୍ଭେ ତୁମ୍ଭ ସହିତ ଜଣେ କୁମ୍ଭକାର ପରି କାର୍ଯ୍ୟ କଲେ। ତୁମ୍ଭେମାନେ ମୋ’ ହସ୍ତରେ କୁମ୍ଭକାରର ମୃତ୍ତିକା ସଦୃଶ ଅଟ। ସମୟ ଆସିବ ଯେତେବେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା। ମାତ୍ର ଯଦି ସେହି ଗୋଷ୍ଠୀ ଆପଣା ଆପଣା ଦୁଷ୍କର୍ମରୁ ଫେରନ୍ତି ତେବେ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନରେ ସ୍ଥିର କରିଥିଲୁ, ସେଥିରୁ ଆମ୍ଭେ କ୍ଷାନ୍ତ ହେବା। ପୁଣି ଏକ ସମୟ ଆସିବ ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଗଠନ ଓ ରୋପଣର କଥା କହିବା। 10 ପୁଣି ଯେତେବେଳେ ଦେଖିବୁ ଯେବେ ଆମ୍ଭର ଆଜ୍ଞା ପାଳନ ନ କରି ଦୁଷ୍କର୍ମ କରନ୍ତି, ତେବେ ଆମ୍ଭେ ସେମାନଙ୍କ ପାଇଁ ଯେଉଁ ମଙ୍ଗଳ କାମନା କରିଥିଲୁ ତହିଁରୁ ଆମ୍ଭେ କ୍ଷାନ୍ତ ହେବା।
11 “ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ଯିରୁଶାଲମ ନିବାସୀଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେର ଓ ଆପଣା ଆପଣା ପଥ ସଂଶୋଧନ କରି ସୁକର୍ମ କର।’ 12 ମାତ୍ର ଯିହୁଦାବାସୀ କହନ୍ତି, ‘ତୁମ୍ଭ କଥା ଆମ୍ଭେ ଶୁଣିବୁ ନାହିଁ। କାରଣ ତୁମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ କର୍ମ କରିବ। ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣ ବାଧ୍ୟତାନୁସାରେ କର୍ମ କରି ଗ୍ଭଲିବୁ।’”
13 ଏଣୁ ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ଏବେ ନାନା ଦେଶୀୟ ଲୋକମାନଙ୍କୁ ପ୍ରଗ୍ଭର କର।
‘କିନ୍ତୁ ଏହା କିଏ ଶୁଣୁଅଛି?’
ଇସ୍ରାଏଲର କୁମାରୀ କନ୍ୟାଗଣ
ଅତ୍ୟନ୍ତ ମର୍ମନ୍ତୁକ କାର୍ଯ୍ୟ କରିଅଛନ୍ତି।
14 ତୁମ୍ଭେମାନେ ଜାଣ ଲିବାନୋନ କ୍ଷେତ୍ରସ୍ଥ
ଶୈଳ ଉପରିସ୍ଥ ହିମସବୁ କେବେ ତରଳି ଯିବ ନାହିଁ
ଓ ଝରଣାର ସୁଶୀତଳ ଜଳ କେବେ ଶୁଷ୍କ ହେବ ନାହିଁ।
15 ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାଶୋରି
ଅସାର ଦେବଗଣଙ୍କୁ ଧୂପ ଉତ୍ସର୍ଗ କରିଛନ୍ତି।
ଆଉ ସେମାନେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ
ସେମାନଙ୍କୁ ଗମନ କରାଇବା ନିମନ୍ତେ ପ୍ରବର୍ତ୍ତାଇଛନ୍ତି।
ସେମାନଙ୍କ ପୁରାତନ ପଥରେ ବିଘ୍ନ ଜନ୍ମାଇ ଅଛନ୍ତି।
16 ଯିହୁଦା ଏକ ଶୂନ୍ୟ ମରୁପ୍ରାନ୍ତରରେ ପରିଣତ ହେବ।
ସେମାନେ ଗମନ କଲାବେଳେ ଶୀସ୍ ଶବ୍ଦ କରିଯାଆନ୍ତି।
ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହୋଇ
ଆପଣା ମସ୍ତକ ହରାଇବ।
17 ଆମ୍ଭେ ପୂର୍ବୀୟ ପବନରେ ଚ୍ଛିନ୍ନ ହେଲା ପରେ ଶତ୍ରୁ ସମ୍ମୁଖରେ
ସେମାନଙ୍କୁ ଛିନ୍ନଭିନ୍ନ କରିବା।
ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କୁ ସାହାଯ୍ୟ ନ କରି
ସେମାନଙ୍କ ପ୍ରତି ବିମୁଖ ହେବା।”
The People Plan Evil and Jeremiah Prays
18 ଯିରିମିୟଙ୍କ ଶତ୍ରୁଗଣ କହିଲେ, “ଆସ ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ୟବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ୟ‌ଦ୍‌ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ତେଣୁ ଆସ ଆମ୍ଭେମାନେ ତାଙ୍କୁ ପ୍ରବଞ୍ଚନା ଦ୍ୱାରା ଧ୍ୱଂସ କରିବା। ଆମ୍ଭେମାନେ ତାଙ୍କର କୌଣସି କଥା ଶୁଣିବା ନାହିଁ।”
19 ହେ ସଦାପ୍ରଭୁ, ମୋ’ ପ୍ରତି କର୍ଣ୍ଣପାତ କର
ଏବଂ ମୋ’ ସହିତ ଯୁକ୍ତି କରୁଥିବା ଲୋକମାନଙ୍କର କଥା ଶୁଣ।
20 ଲୋକେ ମଙ୍ଗଳ ପରିଶୋଧରେ କ’ଣ ଅମଙ୍ଗଳ କରିବେ?
ତୁମ୍ଭେ ସ୍ମରଣ କର, ମୁଁ କିପରି ସେମାନଙ୍କର ମଙ୍ଗଳ ନିମନ୍ତେ
ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇଥିଲି
ଓ ସେମାନଙ୍କୁ ଦଣ୍ଡ ନ ଦେବା ପାଇଁ କହିଥିଲି।
ମାତ୍ର ସେମାନେ ମୋର ବିନାଶ ନିମନ୍ତେ
ଗର୍ତ୍ତ ଖୋଳି ଅଛନ୍ତି।
21 ତେଣୁ ସେମାନଙ୍କର ସନ୍ତାନଗଣ ଦୁର୍ଭିକ୍ଷରେ କବଳିତ ହୁଅନ୍ତୁ।
ସେମାନଙ୍କର ଶତ୍ରୁ ସେମାନଙ୍କୁ ‌‌ଖ‌ଡ଼୍‌ଗରେ ପରାସ୍ତ କରନ୍ତୁ।
ସେମାନଙ୍କର ସ୍ତ୍ରୀମାନେ ସନ୍ତାନହୀନା ଓ ବିଧବା ହୁଅନ୍ତୁ।
ସେମାନଙ୍କର ପୁରୁଷଗଣ ମୃତ୍ୟୁବରଣ କରନ୍ତୁ
ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ନିହତ ହୁଅନ୍ତୁ।
22 ଯେତେବେଳେ ତୁମ୍ଭେ ହଠାତ୍ ଦଳେ ଚଢ଼ଉକାରୀ ସେମାନଙ୍କ ବିରୁଦ୍ଧରେ ଆଣ,
ସେମାନଙ୍କର ଗୃହରୁ କ୍ରନ୍ଦନର ସ୍ୱର ଶୁଣାଯାଉ।
କାରଣ ସେମାନେ ମୋତେ ଧରିବା ପାଇଁ ଗର୍ତ୍ତ ଖୋଳି ଅଛନ୍ତି
ଓ ମୋ’ ଚରଣ ପାଇଁ ଗୋପନରେ ଫାନ୍ଦ ବସାଇ ଅଛନ୍ତି।
23 ହେ ସଦାପ୍ରଭୁ, ମୋର ବିନାଶ ପାଇଁ ସେମାନଙ୍କର ଯୋଜନା ତୁମ୍ଭେ ଜାଣୁଅଛ।
ସେମାନଙ୍କର ଅଧର୍ମ କ୍ଷମା କର ନାହିଁ।
ତୁମ୍ଭ ଦୃଷ୍ଟିରେ ସେମାନଙ୍କର ପାପ ଲୋପ କର ନାହିଁ।
ତୁମ୍ଭେ ସେମାନଙ୍କୁ ବିନାଶ କର।
ଆପଣା କ୍ରୋଧ ସେମାନଙ୍କ ପ୍ରତି ବ୍ୟବହାର କର।