ଜ୍ଞାନର ମହତ୍ତ୍ୱ
28
“ଏପରି ଖଣିସବୁ ଅଛି ଯେଉଁଠାରେ ରୂପା ମିଳେ।
ଏପରି ସ୍ଥାନସବୁ ଅଛି, ଯେଉଁଠାରେ ସୁନାକୁ ତରଳାଇ ଶୁଦ୍ଧ କରାଯାଏ।
ଲୋକେ ଲୁହା ପାଇଁ ଭୂମି ଖୋଳନ୍ତି,
ଓ ପଥର ତରଳାଇ ତମ୍ବା ବାହାର କରାଯାଏ।
ଶ୍ରମିକମାନେ ହାତରେ ଆଲୁଅ ଧରି ଖଣି ଭିତରକୁ ଯାଆନ୍ତି।
ସେ ଗୁମ୍ଫା ଭିତରେ ସେମାନେ ପଥର ସବୁ ଅନ୍ଧକାରରେ ସନ୍ଧାନ କରନ୍ତି।
ଶ୍ରମିକମାନେ ଭୂମିରେ ଗଭୀରଗାତ ଖୋଳି ଖଣିଜ ଦ୍ରବ୍ୟର ପଶ୍ଚା‌‌‌ଦ୍‌‌‌ବର୍ତ୍ତୀ ହୁଅନ୍ତି।
ସେମାନେ ଖଣିର ନିମ୍ନ ଦେଶକୁ ବହୁତ ତଳକୁ ଯାଆନ୍ତି, ଯାହା ଲୋକମାନଙ୍କ ବାସ କରୁଥିବା ସ୍ଥାନଠାରୁ ବହୁତ ଦୂର।
ଯେଉଁଠାକୁ ଆଗରୁ କେହି କେବେ ଯାଇ ନ ଥିଲେ।
ସେମାନେ ଦଉଡ଼ି ଦ୍ୱାରା ଝୁଲି ଭୂମିର ବହୁ ତଳକୁ ଯାଆନ୍ତି, ଅନ୍ୟ ଲୋକମାନଙ୍କଠାରୁ ମଧ୍ୟ ବହୁତ ଦୂର।
ଖାଦ୍ୟ ଶସ୍ୟ ଭୂମିର ଉପରେ ହୁଏ
କିନ୍ତୁ ତଳେ ଏହା ସମ୍ପୂର୍ଣ୍ଣ ଅଲଗା।
ସତେ ଯେପରିକି ସବୁକିଛି ଅଗ୍ନିଦ୍ୱାରା ତରଳି ଯାଏ।
ଭୂମିର ନିମ୍ନ ଭାଗରେ ଇନ୍ଦ୍ରନୀଳମଣୀ
ଏବଂ ଶୁଦ୍ଧ ସୁବର୍ଣ୍ଣର ରେଣୁ ସେଠାରେ ଥାଏ।
ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷୟରେ କିଛି ଜାଣନ୍ତି ନାହିଁ।
କୌଣସି ଉତ୍କ୍ରୋଶପକ୍ଷୀ ମଧ୍ୟ ସେଭଳି ଅନ୍ଧାର ବାଟ ଦେଖି ନ ଥାଏ।
ବଣୁଆ ଜନ୍ତୁମାନେ ମଧ୍ୟ ସେଭଳି ବାଟରେ ଯାଇ ନ ଥିବେ।
ସିଂହମାନେ ମଧ୍ୟ ସେ ବାଟରେ ଯାଇ ନ ଥିବେ।
ଶ୍ରମିକମାନେ ସବୁଠାରୁ ଟାଣ ପଥରକୁ ଖୋଳନ୍ତି।
ସେହି ଶ୍ରମିକମାନେ ପର୍ବତକୁ ଖୋଳନ୍ତି ଏବଂ ତାକୁ ଖାଲିକରି ଦିଅନ୍ତି।
10 ଶ୍ରମିକମାନେ ପଥର କାଟି ସୁଡ଼ଙ୍ଗ ତିଆରି କରନ୍ତି।
ସେମାନେ ପଥର ତଳେ ଥିବା ରତ୍ନ ଭଣ୍ଡାରର ସନ୍ଧାନ କରନ୍ତି।
11 ଶ୍ରମିକମାନେ ବନ୍ଧ ତିଆରି କରନ୍ତି ପାଣିର ଗତି ବନ୍ଦ କରିବା ପାଇଁ।
ସେମାନେ ଲୁଚିବା ବସ୍ତୁକୁ ଆଲୁଅକୁ ଆଣନ୍ତି।
12 “କିନ୍ତୁ କେଉଁଠି ଜଣେ ଲୋକ ଜ୍ଞାନ ପାଇବ?
ଜ୍ଞାତ ହେବା ପାଇଁ କେଉଁଠାକୁ ଆମ୍ଭେ ଯିବା?
13 ଆମ୍ଭେ ଜାଣୁନା ଜ୍ଞାନର ମୂଲ୍ୟ କେତେ।
ପୃଥିବୀର ଲୋକେ ଖଣି ଖୋଳି ଜ୍ଞାନର ଭଣ୍ଡାର ପାଇ ପାରିବେ ନାହିଁ।
14 ମହାସାଗର କହେ, ‘ଜ୍ଞାନ ମୋ’ ପାଖରେ ନାହିଁ।’
ସମୁଦ୍ର କହେ, ‘ତାହା ମୋ’ ପାଖରେ ନାହିଁ।’
15 ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମୟରେ କିଣି ପାରିବ ନାହିଁ।
ଜ୍ଞାନକୁ କିଣିବା ପାଇଁ ପୃଥିବୀରେ ଏତେ ରୂପା ମହଜୁଦ ନାହିଁ।
16 ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ୟ, ଗୋମେଦକ
ଓ ନୀଳକାନ୍ତ ମଣି ବଦଳରେ କିଣି ପାରିବ ନାହିଁ।
17 ଜ୍ଞାନ ସୁନା ଓ ମୂଲ୍ୟବାନ ପଥରଠାରୁ ଅଧିମ ମୂଲ୍ୟବାନ।
ମୂଲ୍ୟବାନ ସ୍ୱଚ୍ଛ ଉଜ୍ଜ୍ୱଳ ସୁନା ମଧ୍ୟ ଜ୍ଞାନକୁ କିଣି ପାରିବ ନାହିଁ।
18 ଜ୍ଞାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ ଅଧିକ ମୂଲ୍ୟବାନ ,
ଜ୍ଞାନ ମଧ୍ୟ ମୋତିଠାରୁ ମୂଲ୍ୟବାନ।
19 କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ୟ ଜ୍ଞାନଭଳି ମୂଲ୍ୟବାନ ନୁହେଁ।
ତୁମ୍ଭେ ଖାଣ୍ଟି ସୁନା ବଦଳରେ ଜ୍ଞାନ କିଣି ପାରିବ ନାହିଁ।
20 “ତେବେ ଜ୍ଞାନ କେଉଁଠାରୁ ଆସେ?
ବୁଝିବାର ସ୍ଥାନ କାହିଁ?
21 ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଗ୍ଭଯାଇଛି।
ଏପରିକି ଆକାଶରେ ଉଡ଼ୁଥିବା ପକ୍ଷୀମାନେ ମଧ୍ୟ ଜ୍ଞାନକୁ ଦେଖି ପାରିବେ ନାହିଁ।
22 ବିନାଶ ଓ ମୃତ୍ୟୁ ମଧ୍ୟ କହନ୍ତି,
‘ଆମ୍ଭେମାନେ ଜ୍ଞାନକୁ କେଉଁଠାରେ ପାଇ ନାହୁଁ;
କେବଳ ଆମ୍ଭେମାନେ ତା’ ବିଷୟରେ ଜନରବ ଶୁଣିଅଛୁ।’
23 “କେବଳ ପରମେଶ୍ୱର ଜ୍ଞାନକୁ ପାଇବାର ପଥ ଜାଣିଛନ୍ତି।
କେବଳ ପରମେଶ୍ୱର ଜାଣନ୍ତି ଜ୍ଞାନ କେଉଁଠାରେ ଅଛି।
24 ପରମେଶ୍ୱର ପୃଥିବୀର ଶେଷ ପର୍ଯ୍ୟନ୍ତ ଦେଖି ପାରନ୍ତି।
ସେ ଆକାଶର ନିମ୍ନରେ ଥିବା ସବୁକିଛି ଦେଖି ପାରନ୍ତି।
25 ପରମେଶ୍ୱର ତାଙ୍କର ଶକ୍ତିକୁ ପବନକୁ ଦେଇଛନ୍ତି।
ସେ ସ୍ଥିର କରନ୍ତି କେତେ ବଡ଼ ସମୁଦ୍ର ହୋଇ ପାରିବ।
26 ପରମେଶ୍ୱର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠେଇବେ
ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ୟା ଯିବ।
27 ସେହି ସମୟରେ ପରମେଶ୍ୱର ଜ୍ଞାନକୁ ଦେଖିଲେ ଏହାକୁ ଘୋଷଣା କଲେ।
ପରମେଶ୍ୱର ଜ୍ଞାନ ସ୍ଥାପନ କଲେ ଏବଂ ଏହାକୁ ପରୀକ୍ଷା କଲେ।
28 ପରମେଶ୍ୱର ଲୋକମାନଙ୍କୁ କହିଲେ,
‘ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ତାହା ହିଁ ଜ୍ଞାନ ଅଟେ।
ମନ୍ଦକାର୍ଯ୍ୟ କର ନାହିଁ, ତାହା ହିଁ ବୁଝିବା ଶକ୍ତି ଅଟେ।’”