ମନଃଶି ଓ ଇଫ୍ରୟିମଙ୍କୁ ଆଶୀର୍ବାଦ
48
ପରେ, ଯୋଷେଫ ଜାଣିବାକୁ ପାଇଲେ ଯେ ତାଙ୍କର ପିତା ବହୁତ ଅସୁସ୍ଥ ହୋଇ ପଡ଼ିଛନ୍ତି। ତେଣୁ ଯୋଷେଫ ତାଙ୍କର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ନେଇ ତାଙ୍କର ପିତାଙ୍କ ନିକଟକୁ ଗଲେ। ଯେତେବେଳେ ଯୋଷେଫ ସେଠାରେ ପହଞ୍ଚିଲେ ସେତେବେଳେ କେହି ଜଣେ ଯାକୁବଙ୍କୁ କହିଲେ, “ତୁମ୍ଭର ପୁତ୍ର ଯୋଷେଫ ତୁମ୍ଭକୁ ଦେଖିବାକୁ ଆସିଛନ୍ତି।” ଇସ୍ରାଏଲ ବହୁତ ଦୁର୍ବଳ ହୋଇ ପଡ଼ିଥିଲେ। କିନ୍ତୁ ସେ ବହୁତ ଚେଷ୍ଟା କଲେ ଏବଂ ବିଛଣାରେ ବସିଲେ।
ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ସର୍ବଶକ୍ତିମାନ ପରମେଶ୍ୱର କିଣାନ ଦେଶର ଲୁସ୍ ନାମକ ସ୍ଥାନରେ ମୋତେ ଦର୍ଶନ ଦେଲେ, ପରମେଶ୍ୱର ସେଠାରେ ମୋତେ ଆଶୀର୍ବାଦ କଲେ। ପରମେଶ୍ୱର ମୋତେ କହିଲେ, ‘ଦେଖ, ମୁଁ ତୁମ୍ଭର ପରିବାରକୁ ବୃଦ୍ଧି କରିବି ଓ ତୁମ୍ଭଠାରୁ ନାନା ଜନସମାଜ ସୃଷ୍ଟି କରିବି। ତୁମ୍ଭର ବଂଶଧରକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବି। ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶରରେ ମୋର ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରୟିମ ଓ ମନଃଶି ମୋ’ ନିଜର ପୁତ୍ର ପରି। ସେମାନେ ରୁବେନ୍ ଓ ଶିମିୟୋନଙ୍କ ପରି ମୋ’ ପାଇଁ ଅଟନ୍ତି। ଏମାନଙ୍କ ପରେ ତୁମ୍ଭର ଯେଉଁ ସନ୍ତାନ ଜନ୍ମ ନେବେ। ସେମାନେ ତୁମ୍ଭର ହେବେ ଏବଂ ତାଙ୍କର ଭାଇମାନଙ୍କ ସହିତ ସେମାନେ ସମ୍ପତ୍ତି ପାଇବେ। ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋର ଆଗମନ କାଳରେ ରାହେଲ, ଇଫ୍ରାଥାର ରାସ୍ତାରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥାରେ (ବୈ‌ଥ୍‌ଲେହମରେ) କବର ଦେଲି।”
ଏହା ପରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଗ୍ଭରିଲେ, “ଏମାନେ କିଏ?”
ଯୋଷେଫ ଆପଣା ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।”
ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ। ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”
10 ଇସ୍ରାଏଲ ବହୁତ ବୃଦ୍ଧ ହୋଇଥିବାରୁ ତାଙ୍କୁ ଭଲ ଦେଖା ଯାଉ ନ ଥିଲା। ତେଣୁ ଯୋଷେଫ ତାଙ୍କର ପୁତ୍ରମାନଙ୍କୁ ଇସ୍ରାଏଲଙ୍କ ନିକଟକୁ ନେଲେ। ଇସ୍ରାଏଲ ସେମାନଙ୍କୁ ଚୁମ୍ବନ ଦେଲେ ଓ କୋଳେଇ ନେଲେ। 11 ଏହା ପରେ ଇସ୍ରାଏଲ, ଯୋଷେଫଙ୍କୁ କହିଲେ, “ମୁଁ କେବେ ବି ଭାବି ନ ଥିଲି ମୁଁ ତୁମ୍ଭକୁ ଆଉ ଦେଖି ପାରିବି। କିନ୍ତୁ ଦେଖ, ପରମେଶ୍ୱର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦେଖାଇଲେ।”
12 ଏହା ପରେ ଯୋଷେଫ ପିତାଙ୍କର କୋଳରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ। 13 ଯୋଷେଫ ସେ ଦୁହିଁଙ୍କୁ ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ଭାଗରେ ଓ ବାମ ହସ୍ତରେ ମନଃଶିକୁ ଧରି ଇସ୍ରାଏଲଙ୍କ ଦକ୍ଷିଣ ଭାଗରେ ଉପସ୍ଥିତ କରାଇଲେ। 14 ଇସ୍ରାଏଲ ନିଜର ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମୁଣ୍ଡରେ ତାଙ୍କର ବାମ ହସ୍ତ ରଖିଲେ। ଏହା ପରେ ଇସ୍ରାଏଲ ତାଙ୍କର ବାମହସ୍ତ ମନଃଶିର ମସ୍ତକ ଉପରେ ରଖିଲେ ଯିଏ କି ପ୍ରଥମେ ଜନ୍ମ ହୋଇଥିଲା। 15 ଅନନ୍ତର ଇସ୍ରାଏଲ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ,
“ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋର ପୂର୍ବପୁରୁଷ ଅବ୍ରହାମ ଓ ଇ‌ସ୍‌ହାକ ଗମନାଗମନ କରିଥିଲେ।
ଯେଉଁ ପରମେଶ୍ୱର ଜନ୍ମାବଧି ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି।
16 ସେ ଦୂତ ଥିଲେ ଯିଏ ମୋତେ ବିପଦରୁ ଉଦ୍ଧାର କରିଛନ୍ତି।
ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ।
ସେମାନେ ମୋ’ ନାମ
ମୋର ପୂର୍ବପୁରୁଷ ଅବ୍ରହାମ ଓ ଇ‌ସ୍‌ହାକଙ୍କ ନାମ ବହନ କରିବେ।
ମୁଁ ପ୍ରାର୍ଥନା କରୁଛି, ସେମାନେ ବୃଦ୍ଧି ପାଇବେ ଏବଂ ଦେଶ ସେମାନଙ୍କର ପରିବାର ଦ୍ୱାରା ଜନପୂର୍ଣ୍ଣ ହୋଇଯିବ।”
17 ଯୋଷେଫ ଦେଖିଲେ, ତାଙ୍କର ପିତା ତାଙ୍କର ପୁତ୍ର ଇଫ୍ରୟିମଙ୍କ ମୁଣ୍ଡରେ ଦକ୍ଷିଣ ହସ୍ତ ରଖିଥିଲେ। ଏହା ଯୋଷେଫଙ୍କୁ ଖୁସୀ କରି ନ ଥିଲା। ଯୋଷେଫ ତାଙ୍କର ହସ୍ତକୁ ଧରି ଇଫ୍ରୟିମଙ୍କ ମୁଣ୍ଡରୁ କାଢ଼ିଲେ ଏବଂ ସେହି ହସ୍ତକୁ ମନଃଶିର ମୁଣ୍ଡରେ ଥୋଇଲେ। 18 ଯୋଷେଫ ତାଙ୍କର ପିତାଙ୍କୁ କହିଲେ, “ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ଭୁଲରେ ରଖି ଅଛନ୍ତି। ମନଃଶି ପ୍ରଥମଜାତ ସନ୍ତାନ। ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ମନଃଶିର ମସ୍ତକରେ ରଖନ୍ତୁ।”
19 କିନ୍ତୁ ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର, ମୁଁ ତାହା ଜାଣେ। ମୁଁ ଜାଣେ ଯେ, ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମହାନ ହେବ। ମାତ୍ର ତୁମ୍ଭର କନିଷ୍ଠ ପୁତ୍ର ତା’ଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁ ଗୋଷ୍ଠୀକ ହେବ।”
20 ତେଣୁ ଇସ୍ରାଏଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ,
“ଯେତେବେଳେ ଇସ୍ରାଏଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ
ସେମାନେ ତୁମ୍ଭର ନାମ ନେବେ।
ସେମାନେ କହିବେ,
‘ଇଫ୍ରୟିମ ଓ ମନଃଶି ପରି ପରମେଶ୍ୱର ତୁମ୍ଭଙ୍କୁ କରନ୍ତୁ।’”
ଏହି ପ୍ରକାରରେ ଇସ୍ରାଏଲ ମନଃଶିଠାରୁ ଇଫ୍ରୟିମଙ୍କୁ ମହାନ କଲେ।
21 ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୋର ମୃତ୍ୟୁ ସମୟ ପ୍ରାୟ ସନ୍ନିକଟ। ପରମେଶ୍ୱର ତୁମ୍ଭକୁ ସଦୟ ହୁଅନ୍ତୁ। ସେ ତୁମ୍ଭକୁ ପୁନର୍ବାର ତୁମ୍ଭର ପୂର୍ବପୁରୁଷଙ୍କ ଦେଶକୁ ନେଇ ଯିବେ। 22 ମୁଁ ତୁମ୍ଭକୁ ଯାହାକିଛି ଦେଲି ତୁମ୍ଭ ଭାଇମାନଙ୍କୁ ଦେଇ ନ ଥିଲି, ମୁଁ ଆପଣା ଖ‌‌‌‌ଡ଼୍‌‌‌‌ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।”